ଦେଶ ବିଦେଶ

ଧାରା ୩୭୦ ହଟାଇବା ପ୍ରସଙ୍ଗ: ପାକିସ୍ତାନକୁ ଜାତିସଂଘ ଛାଟ

ସିମଲା ଚୁକ୍ତି ଆଧାରରେ ବିବାଦର ସମାଧାନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ,୧୦/୮: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ହଟାଇବା ଏବଂ ଜମ୍ମୁ-କଶ୍ମୀରର ପୁର୍ନଗଠନ ନିଷ୍ପତ୍ତି ନେବା ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଉଛି। ଭାରତ ବିରୋଧରେ ସମର୍ଥନ ଜୁଟାଇବା ଲାଗି ପାକିସ୍ତାନ ପ୍ରାଣପଣେ ଉଦ୍ୟମ କରୁଥିଲେ ହେଁ ଅଦ୍ୟାବଧି ସଫଳ ହୋଇପାରି ନାହିଁ। ତେବେ ଇତିମଧ୍ୟରେ ପାକିସ୍ତାନକୁ ଜାତିସଂଘରୁ ଏକ ବଡ଼ ଝଟକା ମିଳିଛି। ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟେରସ କାଶ୍ମୀର ମାମଲାରେ ଭାରତ ଏବଂ ପାକିସ୍ତାନକୁ ସଞ୍ଜମତା ରକ୍ଷା କରିବାକୁ କହିବା ସହ ମଧ୍ୟସ୍ଥତା ପାଇଁ ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛି। ଉଭୟ ଭାରତ ଏବଂ ପାକିସ୍ତାନ ୧୯୭୨ ସିମଲା ଚୁକ୍ତି ଆଧାରରେ ବିବାଦର ସମାଧାନ କରିବାକୁ ଜାତିସଂଘ କହିଛି। ସେହିଭଳି ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ପାକିସ୍ତାନର ଚିଠି ଉପରେ ଟିପ୍ପଣୀ କରିବାକୁ ମନା କରିଦେଇଛି। ଏ ସମ୍ପର୍କରେ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଜୋଆନ୍ନା ବେରୋନିକା ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦକୁ ଚିଠି ଲେଖିଥିଲା। ଏହି ଚିଠିକୁ ନେଇ ସୁରକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ପ୍ରଶ୍ନ କରାଯାଇଥିବାବେଳେ ସେ କୌଣସି ଟିପ୍ପଣୀ ଦେବାକୁ ସିଧା ସିଧା ମନା କରିଦେଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close