ଅପରାଧଆଞ୍ଚଲିକ

କମିଶନରେଟ ପୋଲିସରେ ଡବଲ୍‌ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩/୮: ଅଶାନ୍ତ ହୋଇପଡ଼ିଥିବା ରାଜଧାନୀରେ ପୋଲିସ ନିଜର ଭାବମୂର୍ତ୍ତିରେ ସୁଧାର ଆଣିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଅପରାଧୀଙ୍କୁ ଚେକ ଦେବାପାଇଁ ସହରରେ ବ୍ୟାପକ ପୋଲିସ ମୁତୟନ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରିରହିଛି। ତେବେ ଶନିବାର ସକାଳେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା-ଭଇଁଚୁଆ ରୋଡ୍‌ରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇଜଣ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ପୋଡ଼ା ଓରଫ ଅରୁଣ କୁମାର ମଲ୍ଲିକ ଓ ବିବେକାନନ୍ଦ ନାୟକ। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଜଣଙ୍କର ବାମ ଗୋଡ଼ରେ ଓ ଅନ୍ୟଜଣଙ୍କର ଡାହାଣ ଗୋଡରେ ଗୁଳି ବାଜିଛି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ  ଗୋଟିଏ ଅଫୁଟା ଗୁଳି ଜବତ କରାଯାଇଛି। ସେମାନଙ୍କ ନାଁ’ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଦୁଇ ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ଲୁଟ ଓ ଡକାୟତିରେ ସମ୍ପୃକ୍ତ ଥିବା ପୋଲିସ କହିଛି। ସୂଚନାନୁଯାୟୀ, ଆଜି ଭୋରୁ ବାଲିଅନ୍ତାର ଭଇଁଚୁଆ ରୋଡ୍‌ରେ ଏହି ଦୁଇ ଅପରାଧୀ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ପୋଲିସ ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ  ଖବର ପାଇ ଚଢ଼ଉ କରିଥିଲା। ଅପରାଧୀମାନେ ପୋଲିସକୁ ଦେଖି ଗୁଳିଚାଳନା କରି ଖସି ଯିବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସର ପାଲଟା ଗୁଳିମାଡ଼ରେ ଅପରାଧୀଦ୍ବୟ ଆହତ ହୋଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close