ଆଞ୍ଚଲିକ
ଟିକେଟ କାଟି ଜଗାକୁ ଦେଖିବେ ଭକ୍ତ…!

ପୁରୀ,୨୭ା୧୧: ଏଥର ଭକ୍ତମାନେ ଟିକେଟ କାଟି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। କାରଣ ଶ୍ରୀମନ୍ଦିରରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟିକେଟ ଦର୍ଶନ ବ୍ୟବସ୍ଥା। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ତେବେ ଦୈନିକ ଟିକେଟ ସଂଖ୍ୟା ଏବଂ ତା’ର ଦାମ ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରାଯାଇନାହିଁ। ଦର୍ଶନାର୍ଥୀଙ୍କ ପାଇଁ ଟିକେଟ ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବା ଲାଗି ସୋମବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପରିମାଣିକ ଟିକେଟ ଦର୍ଶନ ବ୍ୟବସ୍ଥା ବନ୍ଦ ହୋଇଯାଇଥିବାବେଳେ ବହୁ ଶ୍ରଦ୍ଧାଳୁ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଥିବାରୁ ଏହି ଟିକେଟ ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ। ଏଥିପାଇଁ ଗଠିତ ହୋଇଥିବା କମିଟି ଟିକେଟ ଦାମ୍, ଦର୍ଶନାର୍ଥୀଙ୍କ ସଂଖ୍ୟା ଏବଂ ଉପଯୁକ୍ତ ସମୟ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବ। ନିର୍ଦ୍ଧାରିତ ଟିକେଟ ସଂଖ୍ୟାର ୬୦ ପ୍ରତିଶତ ଅନ୍ଲାଇନରେ ବିକ୍ରି ହେବ। ସେହିପରି ୩୦ରୁ ୩୫ ପ୍ରତିଶତ ଟିକେଟ ଶ୍ରୀମନ୍ଦିର ସୂଚନା କେନ୍ଦ୍ର କିମ୍ବା ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉପଲବ୍ଧ ହେବ ଏବଂ ୫ ପ୍ରତିଶତ ଟିକେଟ ମୁଖ୍ୟ ପ୍ରଶାସକଙ୍କ ହାତରେ ରହିବ। ଦୈନିକ ଅବକାଶ ପୂଜା, ବଲ୍ଲଭ, ମଧ୍ୟାହ୍ନ ଧୂପ ଏବଂ ଚନ୍ଦନଲାଗି ସମୟରେ ଏହି ଦର୍ଶନ ବ୍ୟବସ୍ଥା କରାଯିବାକୁ ପ୍ରାଥମିକ ଭାବେ ଆଲୋଚନା କରାଯାଇଛି। ତେବେ ଏଥିପାଇଁ ଗଠିତ କମିଟିରେ ମୁଖ୍ୟ ପ୍ରଶାସକ, ଜିଲାପାଳ, ଆଇଜି, ଏସ୍ପି ଏବଂ ପରିଚାଳନା କମିଟିର ୩ ସଦସ୍ୟ ରହିଛନ୍ତି। ଆସନ୍ତା ୪ ତାରିଖରେ କମିଟିର ପରବର୍ତ୍ତୀ ବୈଠକ ବସି ଟିକେଟ ଦର୍ଶନ ବ୍ୟବସ୍ଥାର ରୂପରେଖ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।