ଦେଶ ବିଦେଶ

ପାକ୍ ସେନାର ୩ ଲଞ୍ଚ ପ୍ୟାଡ ଧ୍ବଂସ

୬ରୁ ଊର୍ଦ୍ଧ୍ୱ ପାକ୍ ସୈନ୍ୟଙ୍କ ସମେତ ୩୫ ଆତଙ୍କୀ ନିପାତ

ଶ୍ରୀନଗର,୨୧/୧୦: ଜମ୍ମୁ-କଶ୍ମୀରର ତଙ୍ଗଧାର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତ ପକ୍ଷରୁ ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ପାକିସ୍ତାନର ୬ ସେନା ନିହତ ହୋଇଥିବାବେଳେ ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ଭାରତର ପ୍ରତ୍ୟାକ୍ରମଣକୁ ପାକିସ୍ତାନ ସ୍ୱୀକାର କରିଥିଲେ ହେଁ ନିହତ ସଂଖ୍ୟା କିନ୍ତୁ କମ୍ କହିଛି। ଏହାପରେ ଦେଶର ଗୃହମନ୍ତ୍ରାଳୟ ହାଇ ଆଲର୍ଟ ଜାରି କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନା ପ୍ରମୁଖ ବିପିନ୍ନ ରାୱତଙ୍କ ସହ ସମ୍ପର୍କରେ ରହିଥିବା ଜଣାପଡ଼ିଛି। ଭାରତର ଏହି ଆକ୍ରମଣ ବାବଦରେ ପ୍ରତିକ୍ରିୟା ଦେଇ ବିପିନ୍ନ ରାଓ୍ୱତ କହିଛନ୍ତି ପାକିସ୍ତାନର ୬ରୁ ୧୦ ଯବାନ ନିହତ ହୋଇଛନ୍ତି। ପିଓକେରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତ ଆକ୍ରମଣ କରି ୩୫ ଆତଙ୍କବାଦୀଙ୍କୁ ନିପାତ କରିଥିବା ଜଣାପଡ଼ିଛି। ଏହି ସମସ୍ତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ ଏବଂ ଜୈଶ-ଏ-ମହମ୍ମଦର ବୋଲି କୁହାଯାଉଛି। ଏଥିସହ ୨୦ରୁ ଅଧିକ ପାକ୍ ସୈନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପାକ୍ ସେନାର ୩ଟି ଲଞ୍ଚ ପ୍ୟାଡ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି ଭାରତୀୟ ସେନାବାହିନୀ। ଭାରତ ଏହି ଆକ୍ରମଣ କରିବାବେଳେ ଆର୍ଟିଲରୀ ବନ୍ଧୁକ ବ୍ୟବହାର କରିଥିଲା।
ଅପରପକ୍ଷରେ ପାକିସ୍ତାନର ସେନାଧିକାରୀ ଟୁଇଟ୍ କରି ଦାବି କରିଛନ୍ତି, ପାକିସ୍ତାନ ସେନାର ଗୁଳିରେ ୯ ଜଣ ଭାରତୀୟ ଯବାନ ନିହତ ହୋଇଛନ୍ତି। ଅନେକ ଆହତ ହୋଇଥିବାବେଳେ ୨ଟି ବଙ୍କର ନଷ୍ଟ କରିଥିବା ପାକିସ୍ତାନ ଦାବି କରିଛି। ଏହାପରେ ପାକିସ୍ତାନ ଭାରତର ଡେପୁଟି ହାଇକମିଶନର ଗୌରବ ଆଲୁବାଲିଆଙ୍କୁ ତଲବ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close