ସାହିତ୍ୟ

ନିଃଶବ୍ଦ ଜୁଆର

ଆଜି ସନ୍ଧ୍ୟା ବେଳଠୁ ବଡ଼ ଅସ୍ଥିର ଅନୁଭବ କରୁଛନ୍ତି ଶଶୀକାନ୍ତ। ଅତୀତର ସ୍ମୃତିସବୁ କାଳବୈଶାଖୀ ପରି ବହି ନଷ୍ଟ ଭ୍ରଷ୍ଟ କରିଚାଲିଛନ୍ତି ତାଙ୍କ ହୃଦବଗିଚାଟିକୁ। ଅବଶ୍ୟ ସାରା ଦିନ ଉଦୁଉଦିଆ ଖରା ପରେ ସେ ଶୀତଳ ପବନର ବେଶ୍ ଚାହିଦା। କିନ୍ତୁ ତା’ର ତୀବ୍ର ବେଗ ସବୁ ସମସ୍ୟାର ମୂଳକାରଣ। ପ୍ରକୃତରେ ତାଙ୍କର ସେ କାଳବୈଶାଖୀର କାରଣ ରୂପାଲିର ଝିଅ ଆଶା। ତାକୁ ଦେଖିବା ପରଠୁ ସେ ଅମାନିଆ ଅତୀତ ଧସେଇ ପଶିଲେ ତାଙ୍କ ହୃଦୟ ମଧ୍ୟକୁ। ଆଶା ଭିତରେ ସେ ଆବିଷ୍କାର କରିଥିଲେ ଅତୀତର ରୂପାଲିକୁ, ଅଥବା ତାଙ୍କ ରୂପାଲିକୁ। ଆଶାର ସେ ନିଷ୍ପାପ ନୟନରେ ଉଦ୍ଭାସିତ ହେଉଥିଲା ତାଙ୍କ ନିରୁଧିଷ୍ଟ ରୂପାଲିର କୋମଳ ସ୍ଵରୂପ। ବାସ୍ ତା’ପରେ ହୃଦୟ ସମୁଦ୍ରରେ ଲକ୍ଷ୍ୟ ଲକ୍ଷ୍ୟ ଅଶାନ୍ତ ଜୁଆର, ପୁଣି ଅବଶୋଷ, ପୁଣି ପ୍ରତିଶୋଧର ନିଆଁ ଯାହାକୁ ପ୍ରଶମିତ କରିବାକୁ ଅଗ୍ରସର ସେ ପାଗଳ ପ୍ରେମିକ।

ସେଦିନର ସେ ରୂପାଲି ବାସ୍ତବ ଅବା ମରୁମରିଚୀକା ତାହା ଏବେବି ଅସ୍ପଷ୍ଟ। କିନ୍ତୁ ସେ କୁଆଁରୀ ଆଖିର ସ୍ୱପ୍ନ, ସେ ସତୀତ୍ଵର ସମର୍ପଣ କ’ଣ ସତରେ ଛଳନା ଅବା ଏକ ଭୁଲ୍ ବୁଝାମଣା। ନା ନା କିପରି ଭୁଲ୍ ବୁଝାମଣା। ରୂପାଲିର ସେ ରୂପ ଆଜି ବି ପାସୋରି ପାରି ନାହାଁନ୍ତି ଶଶୀକାନ୍ତ। ତା’ର ସେ କଥା “ତୁମକୁ ମୁଁ ବାହାହୋଇ ପାଇବି କ’ଣ। ନା ତୁମେ ମୋତେ ସୁଖରେ ରଖିପାରିବ ଆଉ ନା ମୋର ଆବଶ୍ୟକତା ମେଣ୍ଟାଇ ପାରିବ। ତୁମ କଲମ କେବଳ କବିତାର ନାୟିକାକୁ ଅଳଙ୍କୃତ କରିପାରିବ, ମୋ ଶରୀରକୁ ନୁହେଁ।” ଅସଂଖ୍ୟ ଜୁଆର ସୃଷ୍ଟି କରୁଥିଲା ଶଶୀକାନ୍ତଙ୍କ ହୃଦୟରେ, କିନ୍ତୁ ନିଃଶବ୍ଦ। ତାଙ୍କ ନୀରବତା ରୂପାଲିର ଭବିଷ୍ୟତ ଉଜ୍ଜ୍ୱଳ କରିଥିଲା। ସାଜିଥିଲେ ସେ ଉଚ୍ଚ ଅଟ୍ଟାଳିକାର ରାଜରାଣୀ। କିନ୍ତୁ ପ୍ରକୃତରେ ସେ ନୀରବତା ବ୍ୟକ୍ତ କରୁଥିଲା ପ୍ରଶ୍ନର ଅସଂଖ୍ୟ ନିଃଶବ୍ଦ ଜୁଆର… କ’ଣ ନାରୀ ଟିଏ ଜଣେ ପୁରୁଷ ପାଖେ ସତୀତ୍ଵର ଆହୂତି ପ୍ରଦାନ କରି, ପ୍ରେମର ନାଟକ କରି ସର୍ବସ୍ୱ ତ୍ୟଗିଲା ପରେ ଆଉ ଜଣେ ପୁରୁଷର ଗହଣାରେ ନିଜ ଅନାବୃତ ଶରୀରକୁ ଅଳଙ୍କୃତ କରିପାରେ?

ନା ସେଦିନ ନା ଆଜି, ଏଯାଏଁ ତାଙ୍କୁ ଉତ୍ତର ମିଳିନି। ହୃଦୟ ସମୁଦ୍ରରେ ଆଜି ବି ଉତ୍ତର ଅପେକ୍ଷାରେ ସେ ନିଃଶବ୍ଦ ଜୁଆର…।

-ଦୀପଞ୍ଜଳି ଧୂପାଳ
+୩, ଦ୍ଵିତୀୟବର୍ଷ,
ଭୂତତ୍ତ୍ୱବିଜ୍ଞାନ ସମ୍ମାନ, ଏଫଏମ ମହାବିଦ୍ୟାଳୟ

Show More

Related Articles

Leave a Reply

Your email address will not be published. Required fields are marked *

Close
Close