ଆଞ୍ଚଲିକବାଣିଜ୍ୟ

କେନ୍ଦ୍ର ବଜେଟ ସମ୍ପର୍କରେ ନବୀନଙ୍କ ମିଶ୍ର ପ୍ରତିକ୍ରିୟା

ଭୁବନେଶ୍ୱର,୬/୭: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଗୁରୁବାର ଘୋଷଣା କରାଯାଇଥିବାବେଳେ ଏହା ଦୂରଦୃଷ୍ଟିସମ୍ପନ୍ନ ଓ ଦେଶ ପାଇଁ ହିତକର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏଥିସହ କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। କେନ୍ଦ୍ର ବଜେଟର ବିଭିନ୍ନ ଦିଗକୁ ନବୀନ ସ୍ୱାଗତ କରିଥିବାବେଳେ ମନରେଗା, ଅନୁସୂଚିତ ଜାତି ଓ ଜନଜାତି ବର୍ଗ, ଜାତୀୟ ସାମାଜିକ ସୁରକ୍ଷା ଯୋଜନା,ଜାତୀୟ ରାଜପଥ ଆଦି ପାଇଁ କମ୍ ବ୍ୟୟବରାଦ ହୋଇଥିବାରୁ ଚିନ୍ତା ପ୍ରକଟ କରିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ପାନୀୟଜଳ, ଜୀବିକା ମିଶନ, ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଅଧିକ ଅର୍ଥ ଆବଣ୍ଟନକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି। ରେଳ ପ୍ରକଳ୍ପଗୁଡ଼ିକ ପାଇଁ ଅଧିକ ପାଣ୍ଠି ବ୍ୟୟବରାଦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଜାତୀୟ ରାଜପଥ କ୍ଷେତ୍ରରେ ପାଣ୍ଠି ଆବଣ୍ଟନ ହ୍ରାସ ଆନ୍ତଃରାଜ୍ୟ ସଂଯୋଗକୁ ପ୍ରଭାବିତ କରିବ ବୋଲି ନବୀନ କହିଛନ୍ତି। ସେହିପରି କେନ୍ଦ୍ର ବଜେଟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ସଂଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ଓ ସ୍ୱଚ୍ଛ ଭାରତ ମିଶନ ଉପରେ ଗୁୁରୁତ୍ୱ ଦିଆଯାଇଥିବାବେଳେ ଏସବୁ ପାଇଁ ଯଥେଷ୍ଟ ଅର୍ଥ ଆବଣ୍ଟନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେହିପରି ସେସ୍ ଓ ସରଚାର୍ଜକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ‘ଡିଭିଜିବୁଲ ପୁଲ୍’ ବାହାରେ ରଖାଯାଇଥିବାରୁ ରାଜ୍ୟଗୁଡ଼ିକୁ ମିଳିବାକୁ ଥିବା ପାଣ୍ଠି ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି। ଏହାବ୍ୟତୀତ ‘ପିଏମ କିଷାନ’ ଯୋଜନାରେ ଚାଷୀଙ୍କୁ ସହାୟତା ପରିମାଣକୁ କେନ୍ଦ୍ର ସରକାର ବୃଦ୍ଧି କରିବା ନେଇ ନବୀନ ଆଶାବ୍ୟକ୍ତ କରିବା ସହ ଭୂମିହୀନ ଶ୍ରମିକ ଓ ଭାଗଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବା ଉଚିତ୍ ବୋଲି କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close