ଦେଶ ବିଦେଶ

ଜମ୍ମୁ-କାଶ୍ମୀରରେ ଧାରା ୩୫-ଏ ହଟାଯିବା ପ୍ରଚାର ଏକ ଗୁଜବ: ରାଜ୍ୟପାଳ

ଶ୍ରୀନଗର,୩/୮: ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଶୁକ୍ରବାର ବିଭିନ୍ନ ରାଜନୀତିକ ଦଳର ପ୍ରତିନିଧିଙ୍କୁ ଭେଟି ବୈଠକ କରିଛନ୍ତି। ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୫-ଏ ହଟାଇବା ପାଇଁ ଏବେ କୌଣସି ଯୋଜନା ନଥିବା ସେ ସ୍ପଷ୍ଟ କରିବା ସହ ଏହାକୁ ନେଇ ପ୍ରଚାର କରାଯାଉଥିବା ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ନିଜ ସମର୍ଥକଙ୍କୁ ଶାନ୍ତ ରହିବା ପାଇଁ ରାଜ୍ୟପାଳ ବିଭିନ୍ନ ଦଳର ନେତାଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଅମରନାଥ ଯାତ୍ରା ବାତିଲ୍ ହେବା ପଛର କାରଣକୁ ଅନ୍ୟ ଏକ ପ୍ରସଙ୍ଗ ସହ ଯୋଡ଼ି ପ୍ରଚାର କରାଯାଉଛି। ଏହା ଅଯଥାରେ ଭୟର ବାତାବରଣ ସୃଷ୍ଟି କରୁଛି। ସୂଚନାଯୋଗ୍ୟ, ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି, ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭମେଣ୍ଟର ପ୍ରମୁଖ ଶାହ ଫୈଜଲ୍ ଏବଂ ପିପୁଲ୍ସ କନଫରେନ୍ସର ନେତା ସଜ୍ଜାଦ ଲୋନ ଏବଂ ଇମ୍ରାନ ରଜା ଅନସାରୀଙ୍କ ଏକ ‘ପ୍ରତିନିଧି ମଣ୍ଡଳ’ ଗତକାଲି ରାଜ୍ୟପାଳଙ୍କୁ ଭେଟିଥିଲେ। ଏହାପରେ ରାଜଭବନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ‘ପ୍ରତିନିଧି ମଣ୍ଡଳ’ ସରକାର ଦ୍ୱାରା ଜାରି ହୋଇଥିବା ପରାମର୍ଶ ବାବଦରେ ଆଲୋଚନା କରିବା ସହ କଶ୍ମୀରରେ ଗତକାଲି ଘଟିଥିବା ଘଟଣାକ୍ରମ ଉପରେ ଆଲୋଚନା କରାଯାଇଛି। ଗୁଇନ୍ଦା ତଥ୍ୟ ଆଧାରରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଥିବାରୁ ସରକାର ଅମରନାଥ ଯାତ୍ରୀଙ୍କୁ ଫେରିବା ପାଇଁ କହିଛନ୍ତି। ଏଥିପାଇଁ ଜମ୍ମୁ-କଶ୍ମୀରରେ ସପ୍ତାହକ ମଧ୍ୟରେ ୩୮ ହଜାର ଯବାନ ନିଯୁକ୍ତ ହୋଇଛନ୍ତି। ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ନଜରରେ ରଖି ଘାଟି, କଶ୍ମୀରର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିବା ସମ୍ୱିଧାନର ୩୫-ଏ ଧାରାକୁ ରଦ୍ଦ କରିବା ପାଇଁ ଏତେ ସଂଖ୍ୟାରେ ସୁରକ୍ଷା ବଳ ନିୟୋଜିତ କରାଯାଉଛି ବୋଲି କଶ୍ମୀରରେ ପ୍ରଚାର ହେଉଥିବାରୁ ଏହା କେବଳ ଏକ ଗୁଜବ ବୋଲି ଜମ୍ମୁ-କଶ୍ମୀର ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close