ଆଞ୍ଚଲିକ

ରାଜ୍ୟର ୬ଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ସାଙ୍ଘାତିକ: ନିୟନ୍ତ୍ରଣ କରିବ ଓଡିଶା ଷ୍ଟାର ରେଟିଙ୍ଗ

ଭୁବନେଶ୍ୱର,୭/୮: ଓଡ଼ିଶାର ଛଅଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ଅତି ସାଙ୍ଘାତିକ। ଉକ୍ତ ସହରଗୁଡିକ ହେଲା ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର, ରାଉରକେଲା ଓ ବାଲେଶ୍ୱର। ଜାତୀୟ ସବୁଜ ପ୍ରାଧିକରଣ ଅନୁସାରେ ଓଡ଼ିଶାରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଲା କଳ କାରଖାନାରୁ ବାହାରୁଥିବା ଧୂଆଁ, ଯାନବାହାନ ଜନିତ ପ୍ରଦୁଷଣ ଏବଂ ନିର୍ମାଣ ଓ ଭଙ୍ଗାଭଙ୍ଗି ସମୟରେ ହେଉଥିବା ପ୍ରଦୂଷଣ।ତେବେ ଶିଳ୍ପାନୁଷ୍ଠାନମାନଙ୍କ ଦ୍ୱାରା ହେଉଥିବା ପ୍ରଦୂଷଣ ରୋକିବା ଓ ଶିଳ୍ପାନୁଷ୍ଠାନମାନଙ୍କର ପରିବେଶ ପାରଦର୍ଶିତା ବୃଦ୍ଧି କରିବା ପାଇଁ ଓଡିଶା ସରକାର ୨୦୧୮ ମସିହା ସେପ୍ଟେମ୍ବର ମାସରେ ଓଡିଶା ଷ୍ଟାର ରେଟିଙ୍ଗ ନାମରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସିଇନଷ୍ଟିଟ୍ୟୁଟ ଏବଂ ଟାଟା ସେଣ୍ଟର ଫରଡେଭଲପମେଣ୍ଟର ବିଶେଷଜ୍ଞମାନଙ୍କ ସହାୟତାରେ ପ୍ରସ୍ତୁତ ହେଇଥିବା ଓଡିଶା ଷ୍ଟାର ରେଟିଙ୍ଗ ହେଉଛି ଏକ ତଥ୍ୟ ସାର୍ଵଜନୀକରଣ ବା ଇନଫରମେସନ ଡ଼ିସକ୍ଲୋଜର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନମାନଙ୍କର ପ୍ରଦୂଷଣ ତଥ୍ୟର ସାର୍ଵଜନୀକରଣ କରି ସେମାନଙ୍କ ପରିବେଶ ପାରଦର୍ଶିତା ବୃଦ୍ଧି ସହ ଏହି ସମ୍ପର୍କରେ ଜନସାଧାରଣଙ୍କର ସଚେତନତା ବୃଦ୍ଧି ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲକ୍ଷ୍ୟ ରଖିଛି। ସେହିପରି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୧୭ ପ୍ରକାରର ଶିଳ୍ପାନୁଷ୍ଠାନକୁ ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଭାବେ ଚିହ୍ନଟ କରିଛି। ସେମାନଙ୍କ ଭିତରୁ ଓଡ଼ିଶାରେ ସିମେଣ୍ଟ, ତାପଜ ବିଦ୍ୟୁତ କେନ୍ଦ୍ର, ଇସ୍ପାତ, କାଗଜ଼ କଳ, ସ୍ପଞ୍ଜ ଆଇରନ, ସାର କାରଖାନା ଓ ଆଲୁମିନିୟମ ଏବଂ ସ୍ମେଲଟର ଆଦି ଶିଳ୍ପାନୁଷ୍ଠାନ ରହିଛି। ଏହି ଶିଳ୍ପାନୁଷ୍ଠାନଗୁଡ଼ିକରୁ କ୍ଷତିକାରକ ପାର୍ଟିକୁଲେଟମ୍ୟାଟର ବା କଣିକାତତ୍ତ୍ୱ, ସଲଫରଡାଇଅକ୍ସସାଇଡ଼, ନାଇଟ୍ରସଅକ୍ସାଇଡ୍,କାର୍ବନ ମନୋକସାଇଡ଼ ଏବଂ ମରକ୍ୟୁରୀ ନିର୍ଗତ ହୋଇଥାଏ। ଓଡ଼ିଶାରେ ଏହି ସବୁ କ୍ଷେତ୍ରର ଶିଳ୍ପାନୁଷ୍ଠାନମାନଙ୍କ ସଂଖ୍ୟା ୧୨୦ରୁ ଅଧିକ। ବର୍ତ୍ତମାନ ପ୍ରାଥମିକ ସ୍ତରରେ ଓଡିଶା ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ଏହି ଶିଳ୍ପାନୁଷ୍ଠାନଗୁଡ଼ିକରୁ ନିର୍ଗତ ହେଉଥିବା କଣିକାତତ୍ତ୍ୱ ଉପରେ ଗୁରୁତ୍ୱ ଦେଉଛି। ପରବର୍ତ୍ତୀ ସମୟରେ ଅନ୍ୟ କ୍ଷତିକାରକ ପ୍ରଦୁଷକ ଗୁଡିକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାର ଯୋଜନା ରହିଛି। ସୂଚନା ଯୋଗ୍ୟ ଯେ କଣିକାତତ୍ତ୍ୱ ଅନେକ ପ୍ରକାର ଶ୍ୱାସକ୍ରିୟା ସମ୍ପର୍କିତ ରୋଗ ଏବଂ ହୃଦଘାତର କାରଣ। ଏହାର ସର୍ବାଧିକ ପ୍ରଭାବ ବୟସ୍କ, ମହିଳା ଏବଂ ଶିଶୁମାନଙ୍କ ଉପରେ ପଡିଥାଏ। ଏହା ଗଛମାନଙ୍କର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ। ଶିଳ୍ପାନୁଷ୍ଠାନମାନଙ୍କରୁ ନିର୍ଗତ କଣିକାତତ୍ୱର ମାତ୍ରା ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ଦୁଇଟି କାରକକୁ ହିସାବକୁ ନେଇ ଷ୍ଟାର ରେଟିଂ ଗଣତି କରିଥାଏ। ସେଗୁଡିକ ହେଲା ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ନିର୍ଦ୍ଧାରିତ ମାତ୍ରା ଠାରୁ କେତେ ମାତ୍ରାରେ ଅଧିକ ପ୍ରଦୁଷକ ନିର୍ଗମ ହୋଇଛି ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମାବଳୀ ଅନୁସାରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନ ପାଇଁ କେତେ ପରିମାଣର ପ୍ରଦୂଷଣ ତଥ୍ୟ ଉପଲବ୍ଧ ଅଛି। ନିରନ୍ତର ଭାବେ ଶିଳ୍ପାନୁଷ୍ଠାନମାନଙ୍କର ପ୍ରଦୂଷଣ ତଥ୍ୟ ପାଇବା ପାଇଁ ଏହି ଶିଳ୍ପାନୁଷ୍ଠାନମାନଙ୍କରେ ନିରନ୍ତର ନିର୍ଗମନ ଯାଞ୍ଚ ବ୍ୟବସ୍ଥା ସ୍ଥାପିତ କରାଯାଇଛି ଏବଂ ସେଗୁଡିକୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଠାରେ ଥିବା ସର୍ଭର ସହ ସଂଯୁକ୍ତ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସର୍ଭରକୁ ଆସୁଥିବା ମାସିକ ତଥ୍ୟ ଆଧାରରେ ଶିଳ୍ପାନୁଷ୍ଠାନମାନଙ୍କୁ ୧ ରୁ ୫ ପର୍ଯ୍ୟନ୍ତ ଷ୍ଟାର ରେଟିଙ୍ଗ ପ୍ରଦାନ କରାଯାଇଥାଏ। ସବୁଠାରୁ ଅଧିକ ପ୍ରଦୁଷକ ନିର୍ଗମନ କରୁଥିବା ଶିଳ୍ପସଂସ୍ଥାକୁ ୧ ଷ୍ଟାର ଓ ସବୁଠାରୁ କମ ନିର୍ଗମନ କରୁଥିବା ସଂସ୍ଥାକୁ ୫ ଷ୍ଟାର ମିଳିଥାଏ। ୨୦୧୮ ମସିହା ସେପ୍ଟେମ୍ବର ମାସ ଅଠର ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ” ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମ ୩ ଟି, ଟିମୱାର୍କ, ଟ୍ରାନ୍ସପରେନ୍ସି ଓ ଟେକ୍ନୋଲୋଜିଏକ ସଠିକ ସମିଶ୍ରଣ। ସାରା ଭାରତରେ ଏପରି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ହାତକୁ ନିଆ ଯାଇଛି ଏବଂ ଏହା ଜନସାଧାରଣଙ୍କୁ ସେମାନଙ୍କ ଅଂଚଳରେ ଥିବା ଶିଳ୍ପାନୁଷ୍ଠାନମାନଙ୍କର ପରିବେଶ ପାରଦର୍ଶିତା ସମ୍ପର୍କରେ ଅବଗତ କରାଇବ।” ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଶିଳ୍ପାଂଚଳରେ ଥିବା ୧୦୬ଟି ଶିଳ୍ପାନୁଷ୍ଠାନ ଏହି କାର୍ଯ୍ୟକ୍ରମ ସହ ସାମିଲ ହୋଇଛନ୍ତି। ବାୟୁ ପ୍ରଦୂଷଣ ରୋକିବା ପାଇଁ ବିଶ୍ଵର ଭିନ୍ନ ଭିନ୍ନ ଅଂଚଳରେ ତଥ୍ୟର ସାର୍ଵଜନୀକରଣ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି ଏହି କାର୍ଯ୍ୟକ୍ରମ ଗୁଡିକ ସଫଳତା ମଧ୍ୟ ହାସଲ କରିଛନ୍ତି। ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ପ୍ରୟାସ ଭାରତରେ ନିଆଯାଉଥିବା ଅଳ୍ପ କିଛି ପ୍ରାଥମିକ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ। ଶିଳ୍ପାନୁଷ୍ଠାନ ଓ ସାଧାରଣ ଜନତାଙ୍କୁ ସଚେତନ କରାଇବା ସହ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଜନସଧାରଣ, ନାଗରିକ ପରିଷଦ ସଂଗଠନ ଓ ଗଣମାଧ୍ୟମର ସହାୟତାରେ ପାରଦର୍ଶୀ ନିର୍ଗମନ ନିୟମାବଳୀକୁ କାର୍ଯ୍ୟକ୍ଷମ କରାଇ ଦାୟିତ୍ୱବଦ୍ଧ ଓ ସୁସ୍ଥ ପ୍ରତିଦ୍ଵନ୍ଦିତାମୂଳକ ଶିଳ୍ପ ପରିବେଶ ସୃଷ୍ଟି କରିବା ଦିଗରେ ଲକ୍ଷ୍ୟ ରଖିଅଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close