ବିଜ୍ଞାନବେଶେଷ

ଶାରୀରିକ ସମ୍ପର୍କ ବେଳେ ହୃଦଘାତ ଆଶଙ୍କା ଅଧିକ

ହୃଦ୍‌ରୋଗୀଙ୍କ ପାଇଁ ସବୁ ସମୟରେ ମୃତ୍ୟୁର ବିପଦ ରହିଥାଏ। ଏଣୁ ଅଚାନକ ମୃତ୍ୟୁରୁ ବର୍ତ୍ତିବା ପାଇଁ କେତେକ ସତର୍କତା ଗ୍ରହଣ କରାଯାଇଥାଏ। ହେଲେ ଶାରୀରିକ ସମ୍ପର୍କ ବେଳେ ଯଦି ହୃଦ୍‌ଘାତ ହୁଏ, ତା’ହେଲେ ପୁରୁଷଙ୍କ ପାଇଁ ମୃତ୍ୟୁ ଆଶଙ୍କା ୪ ଗୁଣ ବଢ଼ିଯାଏ ବୋଲି ଏକ ଅନୁସନ୍ଧାନରୁ ଜଣାପଡ଼ିଛି। ଏଭଳି କ୍ଷେତ୍ରରେ ଏକ ପ୍ରମୁଖ କାରଣ ହେଉଛି ମହିଳାମାନେ ସେହି ସମୟରେ ଏତେ ମାତ୍ରାରେ ଅଡୁଆ ପରିସ୍ଥିତିରେ ପଡ଼ିଥାଆନ୍ତି ଯେ, କାହାକୁ ସାହାଯ୍ୟ ପାଇଁ ଡାକିପାରନ୍ତି ନାହିଁ ବୋଲି ଗବେଷକମାନେ ଜାଣିପାରିଛନ୍ତି। ଏଭଳି ୧୨ ପ୍ରତିଶତ ଲୋକଙ୍କର ସମ୍ଭୋଗ ସମୟରେ ଅଚାନକ ହୃଦ୍‌ଘାତ ହୋଇଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି। ପ୍ୟାରିସ୍‌ର ସର୍ଡନ ଡେଥ୍‌ ଏକ୍ସପୋଟାଇଜ୍‌ ସେଣ୍ଟରର ମୁଖ୍ୟ ଗବେଷକ ଡ. ଅରଦଲନ ଶରିଫଜାଡେଗନ କୁହନ୍ତି, ଶାରୀରିକ ସମ୍ପର୍କ ବେଳେ ହୃଦ୍‌ଘାତ ହେଲେ ସେମାନେ ବିଚଳିତ ହୋଇପଡ଼ନ୍ତି, ସେମାନେ ଜାଣିପାରନ୍ତି ନାହିଁ ସେମାନେ କ’ଣ କରିବା ଉଚିତ। ଏହି କ୍ଷେତ୍ରରେ ସାମାଜିକ ଲଜ୍ଜାବୋଧ ରହୁଛି। ସେମାନେ ବିବସ୍ତ୍ର ଥିବାରୁ କାହାରି ସାହାଯ୍ୟ ନେବାକୁ କୁଣ୍ଠାବୋଧ କରନ୍ତି। ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ। ଏଣୁ ସବୁଠୁ ଭଲ ବାର୍ତ୍ତା ହେଲା ଯେକୌଣସି ପରିସ୍ଥିତିରେ ବି ସ୍ବାମୀଙ୍କ ଜୀବନ ରକ୍ଷା କରିବାକୁ ହେବ। କିନ୍ତୁ ଦେଖିବାକୁ ମିଳୁଛି ଯେ, ମହିଳାମାନେ ଏଭଳି ପରିସ୍ଥିତିରେ କାହାର ସାହାଯ୍ୟ ନେବା ପାଇଁ କିଛିସମୟ ବିତାଇ ଦିଅନ୍ତି। ଯେଉଁ ସମୟରେ କି ୧ ମିନିଟ୍‌ ବିଳମ୍ବ ତାଙ୍କ ସ୍ବାମୀଙ୍କ ଜୀବନକୁ ବିପଦ ମୁହଁକୁ ଠେଲିଦିଏ। ବାର୍ସିଲୋନାରେ ଆୟୋଜିତ ୟୁରୋପିୟନ ସୋସାଇଟି ଅଫ୍‌ କାର୍ଡିଓଲୋଜି କନ୍‌ଫରେନ୍ସରେ ଶରିଫଜାଡେଗନ ଅନୁସନ୍ଧାନମୂଳକ ତଥ୍ୟ ଉପସ୍ଥାପନ କରିଥିଲେ। ଉକ୍ତ ତଥ୍ୟ ୩,୦୨୮ ଲୋକଙ୍କ ଉପରେ ଆଧାରିତ ଥିଲା, ଯେଉଁମାନେ କି ହୃଦଘାତ୍‌ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୪୬ଜଣଙ୍କ ଶାରୀରିକ କ୍ରିୟାଶୀଳତାବେଳେ ହୃଦୟର ଗତି ବନ୍ଦ ହୋଇଥିଲା। ଏହିମାନଙ୍କ ମଧ୍ୟରୁ ୧୭ଜଣ(ସମସ୍ତେ ପୁରୁଷ ଏବଂ ହାରାହାରି ବୟସ ୫୩) ଶାରୀରିକ ସମ୍ପର୍କ ବେଳେ ହୃଦ୍‌ଘାତର ଶିକାର ହୋଇଥିଲେ। ଯେତେବେଳେ ଅଚାନକ ହୃଦୟରୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ ସେତେବେଳେ ହୃଦୟର ଗତି ବନ୍ଦ ହୋଇଯାଏ। ଏଭଳି ସମୟରେ ଡେଫିବ୍ରିଲାଟର ଦ୍ୱାରା ପୁନଃ ସଞ୍ଚାଳନ ଜରୁରୀ। ନଚେତ ରୋଗୀ କିଛି କ୍ଷଣ ଭିତରେ ପ୍ରାଣ ହରାଇଥାଏ। କିନ୍ତୁ ଶାରୀରିକ ସମ୍ପର୍କ ତ୍ୟାଗ କରିବା ବି ଉଚିତ ନୁହେଁ ବୋଲି ଶରିଫଜାଡେଗନ କହିଛନ୍ତି। କାରଣ ଏହା ସ୍ବାସ୍ଥ୍ୟ ପ୍ରତି ଭଲ। ହେଲେ ସତର୍କତା, ସଚେତନ ରହିବା ସାଙ୍ଗକୁ ହୃଦ୍‌ଘାତ ଭଳି ବିପତ୍ତି ସମୟରେ ଲଜ୍ଜା ତ୍ୟାଗ କରିବା ଆବଶ୍ୟକ। 

Show More

Related Articles

Leave a Reply

Your email address will not be published. Required fields are marked *

Close
Close