ଖେଳ

ଅବସର ଘୋଷଣା କଲେ ଗମ୍ଭୀର

ନୂଆଦିଲ୍ଲୀ,୫/୧୨: ଭାରତୀୟ କ୍ରିକେଟ ଦଳର ଅର୍ଜୁନ ପୁରସ୍କାରପ୍ରାପ୍ତ ଭେଟେରାନ ବାମହାତି ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର କ୍ରିକେଟ୍‌ର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଭିଡିଓ ଅପଲୋଡ଼ କରି ସେ ନିଜର ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି। ଦୀର୍ଘ ୧୫ ବର୍ଷ ଧରି କ୍ରିକେଟ୍‌ ଖେଳି ଆସୁଥିବା ଗମ୍ଭୀର କ୍ରମାଗତ ଭାବେ ଖରାପ ଫର୍ମ ପାଇଁ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିଥିଲେ। ଶେଷରେ ଟିମ୍‌ ଇଣ୍ଡିଆର ଏହି ଓପନର୍‌ ତଥା ୨୦୧୧ ବିଶ୍ୱକପ୍‌ ଫାଇନାଲ୍‌ର ହିରୋ ଗୌତମ ଗମ୍ଭୀର କ୍ରିକେଟ୍‌କୁ ଅଲବିଦା ଜଣାଇଛନ୍ତି। ୨୦୦୩ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିବା ଗମ୍ଭୀର ଭାରତ ପାଇଁ ୫୮ଟି ଟେଷ୍ଟ, ୧୪୭ଟି ଦିନିକିଆ ଏବଂ ୩୭ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଗମ୍ଭୀର ୨୦୧୧ ବିଶ୍ୱକପ୍‌ ଫାଇନାଲ୍‌ରେ ୯୭ ରନ୍‌ର ଇନିଂସ୍‌ ଖେଳି ଦୀର୍ଘ ୨୮ ବର୍ଷର ପ୍ରତିକ୍ଷୀତ ବିଶ୍ୱକପ ବିଜୟର ସ୍ୱାଦ ଚଖେଇଥିଲେ। ତେବେ ଦିଲ୍ଲୀର ଏହି ଭେଟରାନ ବ୍ୟାଟସ୍‌ମ୍ୟାନ୍‌ ଶେଷଥର ପାଇଁ ୨୦୧୬ ଡିସେମ୍ବରରେ ଭାରତ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ।
ଟେଷ୍ଟ୍‌ରେ ଗମ୍ଭୀର ୪୧.୯୫ ହାରରେ ୪୧୫୪ ରନ୍‌ କରିଥିବା ବେଳେ ଦିନିକିଆରେ ୫୨୩୮ ରନ୍‌ କରିଛନ୍ତି। ତାଙ୍କ ନାଁରେ ଟେଷ୍ଟ ମ୍ୟାଚ୍‌ରେ ୯ଟି ଶତକ ଓ ଦିନିକିଆରେ ୧୧ଟି ଶତକ ରହିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗମ୍ଭୀର ସମୁଦାୟ ୧୦,୩୨୪ ରନ୍‌ ସ୍କୋର କରିଛନ୍ତି। ସେ ଟି-୨୦ରେ ମାତ୍ର ୩୭ଟି ମ୍ୟାଚ୍‌ ଖେଳି ୯୩୨ ରନ୍‌ କରିଛନ୍ତି। ଏଥିରେ ୭ଟି ଅର୍ଦ୍ଧଶତକ ରହିଛି। ୨୦୦୯ରେ ଟି-୨୦ ଫର୍ମାଟରେ ଗମ୍ଭୀର ୧ନଂ ରାଙ୍କରେ ରହିଥିଲେ। ଆଇପିଏଲ୍‌ରେ ମଧ୍ୟ ଗମ୍ଭୀର ନିଜର ପତିଆରା ଦେଖାଇଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ଭାବେ ୨୦୧୨ ଓ ୨୦୧୪ରେ ଟ୍ରଫି ଜିତିଥିଲେ। ତେବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଗମ୍ଭୀର ଫିରୋଜଶାହ କୋଟଲାରେ ଗୁରୁବାରଠାରୁ ଦିଲ୍ଲୀ ବନାମ ଆନ୍ଧ୍ରପ୍ରଦେଶ ରଣଜୀ ମ୍ୟାଚ୍‌ରେ ଶେଷ ଥର ପାଇଁ କ୍ରିକେଟ୍‌ ଖେଳିବେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close