ଖେଳଦେଶ ବିଦେଶ

ଇଂଲଣ୍ଡ ଷଷ୍ଠ ବିଶ୍ୱବିଜେତା: ପରାଜୟ ସତ୍ତ୍ୱେ ବିଶ୍ୱବାସୀଙ୍କ ମନ ଜିଣିଲା ନ୍ୟୁଜିଲାଣ୍ଡ

ଲର୍ଡ୍ସ,୧୫/୭: କ୍ରିକେଟର ମକ୍କା ବୋଲାଉଥିବା ଲର୍ଡ୍ସ ଗ୍ରାଉଣ୍ଡରେ ରବିବାର ଖେଳାଯିଥିବା ବିଶ୍ୱକପର ଫାଇନାଲ ମ୍ୟାଚ ବେଶ ରୋମାଞ୍ଚ ଭରା ହୋଇଥିଲା। ସୁପର ଓଭରର ଶେଷ ବଲରେ ବଟ୍ଟଲରଙ୍କ ଷ୍ଟମ୍ପା ଭାଙ୍ଗିବା ପରେ ଦୁନିଆକୁ କ୍ରିକେଟର ମନ୍ତ୍ର ଦେଇଥିବା ଟିମ୍ ଇଂଲଣ୍ଡ ବିଶ୍ୱବିଜୟୀ ହୋଇଥିଲା। ତେବେ ଏହା ସତ୍ତ୍ୱେ ସାଇଲେଣ୍ଟ କିଲର ଟିମ୍ ନ୍ୟୁଜିଲାଣ୍ଡ ବିଶ୍ୱବାସୀଙ୍କ ମନ ଜିଣିବାରେ ବେଶ ସକ୍ଷମ ହୋଇଥିଲା। ବିଶ୍ୱ କ୍ରିକେଟ ମହାକୁମ୍ଭରେ ଚାମ୍ପିୟନର ମୁକୁଟ ପିନ୍ଧିବା ପାଇଁ ଇଂଲଣ୍ଡକୁ ଶେଷ ବଲ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବାକୁ ପଡ଼ିଥିଲା। କିନ୍ତୁ ଶେଷରେ ବିଜୟର ମୁକୁଟ କ୍ରିକେଟର ଜନ୍ମଦାତା ଇଂଲଣ୍ଡ ପିନ୍ଧିଥିବାବେଳେ ଷଷ୍ଠ ବିଶ୍ୱବିଜୟୀ ହେବାର ସୌଭାଗ୍ୟ ଲାଭ କରିଛି। ସୂଚନାନୁଯାୟୀ, ରବିବାର ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୧ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ୨୪୧ ରନ୍ କରି ଅଲଆଉଟ୍ ହୋଇ ମ୍ୟାଚ୍ ଟାଇ କରିଥିଲା। ତେବେ ସୁପର ଓଭରରେ ଇଂଲଣ୍ଡ ୧୫ ରନ୍ କରିଥିବାବେଳେ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟ ସମାନ ରନ୍ କରି ମ୍ୟାଚ୍ ଟାଇ କରିଥିଲା। ତେବେ ନିୟମାନୁଯାୟୀ ସର୍ବାଧିକ ବାଉଣ୍ଡ୍ରୀ ମାରିବା ଆଧାରରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଛି। ଇଂଲଣ୍ଡର ଏହି ବିଜୟରେ ହିରୋ ସାଜିଛନ୍ତି ଶେଷ ପର୍ଯ୍ୟନ୍ତ ନିଜ ଟିମ୍ ପାଇଁ ଲଢ଼ିଥିବା ବେନ୍ ଷ୍ଟୋକ୍ସ। ତାଙ୍କୁ ସହଯୋଗ କରିଥିଲେ ଜୋସ ବଟ୍ଟଲର୍। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୪୨ ରନର ପିଛା କରୁଥିବା ଇଂଲଣ୍ଡ ଏକଦା ୮୬ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ଟିମର ବିସ୍ଫୋରକ ଓପ୍ନର ଜେସନ୍ ରୟ ମାତ୍ର ୧୭ ରନ୍ କରି ମ୍ୟାଟ୍ ହେନରୀଙ୍କ ଶିକାର ହୋଇଥିଲେ। ଏହା ପରେ ଗ୍ରାଣ୍ଡହୋମ୍ ଇଂଲଣ୍ଡର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍(୭)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଜନ୍ନି ବେୟାରଷ୍ଟୋ ୩୬ରନ କରି ଖେଳୁଥିବାବେଳେ ତାଙ୍କୁ ଫର୍ଗୁସନ୍ ଆଉଟ୍ କରି କିୱି ଟିମକୁ ତୃତୀୟ ସଫଳତା ଦେଇଥିଲେ। କ୍ୟାପଟେନ୍ ଇଆନ୍ ମୋର୍ଗାନ୍ (୯) ମଧ୍ୟ କିଛି ଖାସ କରିପାରିନଥିଲେ। ୪ ୱିକେଟ୍ ହରାଇବା ପରେ ଇଂଲଣ୍ଡ ବ୍ୟାକଫୁଟକୁ ଚାଲିଆସିଥିଲା। କିନ୍ତୁ ବେନ୍ ଷ୍ଟୋକ୍ସ ଓ ଜୋସ ବଟ୍ଟଲର୍ ୧୧୦ ରନର ଶତକୀୟ ଭାଗୀଦାରୀ କରି ଟିମକୁ ବିଜୟର ନିକଟତର କରାଇଥିଲେ। ବଟ୍ଟଲର୍ ୫୯ ରନ କରି ଆଉଟ୍ ହେବାପରେ ନ୍ୟୁଜିଲାଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। କ୍ରିସ୍ ଓକ୍ସ(୨)ଙ୍କୁ ମଧ୍ୟ ଫର୍ଗୁସନ୍ ପ୍ୟାଭିଲିୟନ୍ ପଠାଇଥିଲେ। ଷ୍ଟୋକ୍ସ ଶେଷ ପର୍ଯ୍ୟନ୍ତ ଲଢ଼ିଥିବାବେଳେ ମ୍ୟାଚକୁ ଟାଇରେ ଶେଷ କରିଥିଲେ। ଷ୍ଟୋକ୍ସ ୯୮ ବଲରେ ୫ ଚୌକା ଓ ୨ ଛକା ସହ ୮୪ ରନ୍ କରି ଅପରାଜିତ ଥିଲେ। ତବେ ପ୍ରଥମେ ଲର୍ଡ୍ସରେ ଟସ୍ ନ୍ୟୁଜିଲାଣ୍ଡ ସପକ୍ଷରେ ଯାଇଥିବାବେଳେ ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡର ଆଉଟ୍ ଫର୍ମ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ପୁଣିଥରେ ନିରାଶ କରିଥିଲେ। ସେ ୧୯ ରନ୍ କରି କ୍ରିସ୍ ଓକ୍ସଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ପ୍ରାରମ୍ଭିକ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ନ୍ୟୁଜିଲାଣ୍ଡ ସ୍ଥିତି ସୁଧାରିଥିଲେ ହେନରୀ ନିକୋଲ୍ସ ଓ କ୍ୟାପଟେନ୍ କେନ୍ ୱିଲିୟମସନ୍। ଦୁହେଁ ଟିମ୍ ସ୍କୋରକୁ ୧୦୦ ପାର୍ କରାଇଥିଲେ। ନ୍ୟୁଜିଲାଣ୍ଡର ଟପ୍ ସ୍କୋରର ୱିଲିୟମସନ୍ ୩୦ ରନ୍ କରିଥିବାବେଳେ ଇଂଲଣ୍ଡ ୱିକେଟକିପର ଜୋସ ବଟ୍ଟଲରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ପରେ ନିକୋଲ୍ସ ୭୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ନିକୋଲ୍ସ ୫୫ ରନ୍ କରି କ୍ଲିନ୍ ବୋଲ୍ଡ ହୋଇଥିଲେ। ତେବେ ମଧ୍ୟକ୍ରମରେ ଟମ୍ ଲାଥାମଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରିନଥିଲେ। ଅଭିଜ୍ଞ ରସ୍ ଟେଲର୍ ମାତ୍ର ୧୫ ରନ୍ କରି ମାର୍କ ଉଡଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଜେମ୍ସ ନିଶାମ୍ (୧୯) ଓ କଲିନ୍ ଡି’ଗ୍ରାଣ୍ଡହୋମ୍ (୧୬) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଲାଥାମ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୫୬ ବଲରେ ୨ ଚୌକା ଓ ୧ ଛକା ସହ ୪୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମିଚେଲ୍ ସାଣ୍ଟନର୍ ୫ ରନ୍ କରି ଅପରାଜିତ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close