ଦେଶ ବିଦେଶରାଜନିତୀ

ଖୁବଶୀଘ୍ର ହେବ କଂଗ୍ରେସର ନବକଳେବର

କର୍ପୋରେଟ୍‌ ଷ୍ଟାଇଲରେ ରିପୋର୍ଟ ପ୍ରସ୍ତୁତ

ନୂଆଦିଲ୍ଲୀ,୩/୮: ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ କଂଗ୍ରେସର ନବକଳେବର ପାଇଁ ଯୋଜନା ଆରମ୍ଭ ହୋଇଛି। ବଜେଟ୍‌ ଅଧିବେଶନ ସରିବା ପରେ ୱାର୍କିଂ କମିଟି ନୂଆ ସଭାପତିଙ୍କୁ ବାଛିବା ନେଇ ଆଲୋଚନା କରିବ। ତେବେ ଏହି ବୈଠକର ଏଜେଣ୍ଡା ବାବଦରେ ଏଯାଏ ସ୍ପଷ୍ଟ ତଥ୍ୟ ମିଳିନଥିବାବେଳେ ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, ଗାନ୍ଧୀ ପରିବାରର ବିଶ୍ୱସ୍ତ ସାମ୍‌ ପିଟ୍ରୋଡ଼ା କର୍ପୋରେଟ୍‌ ଷ୍ଟାଇଲରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହାର ଆଧାରରେ କଂଗ୍ରେସର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡ଼ିଛି। ଦଳର ନବକଳେବର ପାଇଁ ରିପୋର୍ଟରେ ୨୦ଟି ପରାମର୍ଶ ଦିଆଯାଇଥିବା ଚର୍ଚ୍ଚା ହେଉଛି। ଏଥିରେ ୨୦୧୪ ମସିହାର ସବୁଠାରୁ ଖରାପ ପ୍ରଦର୍ଶନ (୫୪୩ ଆସନରୁ ମାତ୍ର ୪୪ଟିରେ ବିଜୟ) ଏବଂ ୨୦୧୯ରେ ଦ୍ୱିତୀୟ ନ୍ୟୂନତମ ପ୍ରଦର୍ଶନ (୫୨ଆସନ) ବାବଦରେ ଆଲୋକପାତ କରାଯାଇଛି। ଏଥିମଧ୍ୟରୁ ଗୋଟିଏ ପରାମର୍ଶ ଅନୁଯାୟୀ ଦଳରେ ଜଣେ ଚିଫ୍‌ ଟେକ୍ନିକାଲ ଅଫିସର(ସିଟିଓ) ନିଯୁକ୍ତ ହେବେ। ଏଥିସହ ଏକ ମାନବ ସମ୍ବଳ ବା ଏଚ୍‌ଆର ବିଭାଗ ରହିବ ଏବଂ ପ୍ରତି ପଦାଧିକାରୀଙ୍କ ପାଇଁ ଲକ୍ଷ୍ୟ ବା ଟାର୍ଗେଟ ଧାର୍ଯ୍ୟ କରାଯିବ। ତେବେ ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ କୌଣସି ଏକ ଦିନ ସିଡବ୍ଲ୍ୟୁସିର ବୈଠକ ବସି ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ଫେରାଇ ନେବାକୁ ଶେଷ ଥର ପାଇଁ ଅନୁରୋଧ କରାଯିବ। ୬୦ ଦିନର ଅବଧିରେ କଂଗ୍ରେସକୁ ସୁଧାରିବା ପ୍ରୟାସ ସହ ଉଭୟ ଜାତୀୟ ଏବଂ ରାଜ୍ୟସ୍ତରରେ ସିଟିଓ ନିଯୁକ୍ତ କରାଯିବ ବୋଲି ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close